ଆଙ୍କର-ରସୁଲପୁର ପଞ୍ଚୟତ ଅନ୍ତର୍ଗତ ଖଣ୍ଡିତର ଗ୍ରାମର ଜଗନ୍ନାଥ ରାଉତଙ୍କ ପୁଅ ଅଧିକାର ରାଉତ। ବୟସ ପାଖାପାଖି ୭୩ ଛୁଇଁଲାଣି। ସାହାପୁର ହାଟରେ ମଙ୍ଗଳବାର ଓ ଶନିବାର ପାଳିରେ ପଥର ଉପରେ ୨ଟି ହାଣ୍ଡିରେ ଇଟିଲି ଘୁଗୁନି ବେପାର କରି ନିଜର ପରିବାର ପ୍ରତିପୋଷଣ କରନ୍ତି ଅଧିକାର। ହାଟକୁ ଆସୁଥିବା ଲୋକେ ତାଙ୍କ ଦୋକାନ ନିକଟରେ ରୁଣ୍ଡ ହୋଇ ଇଟିଲି ଘୁଗୁନି ଖାଇଥା’ନ୍ତି। ତେଲ ମସଲା ଅଳ୍ପ ଦେଇ ସ୍ପେଶାଲ ଘୁଗୁନି ତିଆରି କରି ଅଳ୍ପ ମୂଲ୍ୟରେ ବିକ୍ରି କରନ୍ତି ଅଧିକାର। ବୟସର ଅପରାହ୍ନରେ ସେ ଥକି ଯାଇନାହାନ୍ତି। ରାତି ଗୋଟାଏ ରୁ ଉଠି ମଟର ଆଳୁ ସିଝାଇ ଇଟିଲି ଘୁଗୁନି ପ୍ରସ୍ତୁତ କରି ହାଟକୁ ଆସି ବିକ୍ରୀ କରିଥାଆନ୍ତି। କେବେ ଥକି ଯାଇନାହାନ୍ତି ସେ। ଏହି ଘୁଗୁନିର ଦାମ ସବୁଠୁ କମ୍ ରହିଥିବାବେଳେ ସ୍ଵାଦ ମଧ୍ୟ ରହିଛି। ହାଟକୁ ଆସୁଥିବା ବ୍ୟବସାୟୀ ତଥା ଜନସାଧରଣଙ୍କ ଲମ୍ବା ଲାଇନ ଘୁଗୁନି ହାଣ୍ଡି ପାଖରେ ଲାଗିରହିଥାଏ। ୩୦ ବର୍ଷ ପୂର୍ବେ ବେପାର ଆରମ୍ଭ କରିଥିବାବେଳେ ଏହି ପରିଣତ ବୟସରେ ମଧ୍ଯ ତାଙ୍କ ବେଉସା ଜାରି ରଖୁଛନ୍ତି ଅଧିକାର। ୧୯୯୩ରୁ ସୁଜି ୧.୫୦ ପଇସା, ମଇଦା ୨ଟଙ୍କାରୁ ଆରମ୍ଭ କରିଥିବା ଏହି ବ୍ୟବସାୟ ଅଧିକାରଙ୍କୁ ଦେଇଛି ଆତ୍ମସନ୍ତୋଷ। ଦୀର୍ଘ ବର୍ଷ ଧରି ନିଜେ ବ୍ୟବସାୟ କରି ଆତ୍ମନିର୍ଭରଶୀଳ ହୋଇ ଘର ଚଳାଉଛନ୍ତି। ଏହି ବୟସରେ ବିରତି ନ ନେଇ ଆଗେଇ ନେଇଛନ୍ତି ନିଜର ବ୍ୟବସାୟ। କେବେ ନିଜର ଘୁଗୁନି ବେପାରରେ ଲାଭ ନ ଖୋଜି ଲୋକମାନେ କିଭଳି ଭଲ ଖାଇବେ ଓ ସୁସ୍ଥ ରହିବେ ସେ ଦିଗରେ ଯତ୍ନବାନ ଥା’ନ୍ତି । ଯାହା ପାଖରେ ପଇସା ନ ଥିଲେ ମଧ୍ୟ ସେ ଖାଇବାକୁ ଦେଇଥା’ନ୍ତି। ବର୍ତ୍ତମାନ ଇଟିଲି ଘୁଗୁନି ବ୍ୟବସାୟ କରି ପ୍ରାୟ ଏକ ହଜାରରୁ ଦୁଇ ହଜାର ଟଙ୍କା ରୋଜଗାର କରୁଥିବା କୁହନ୍ତି ଅଧିକାର। ପରିଣତ ବୟସରେ ଅଧିକାରଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି।